"ଲକ୍ଷ୍ମୀ ପୁରାଣ" ଓଡ଼ିଶାର ଘରେ ଘରେ ମାଣବସା ଗୁରୁବାର ନାମରେ ମଧ୍ୟ ଖ୍ୟାତ ।
ମାର୍ଗଶୀର ମାସର ଗୁରୁବାର ଦିନ ଓଡ଼ିଶାର ପ୍ରତି ଘରେ ଲକ୍ଷ୍ମୀପୂଜା ବା ମାଣବସା ଗୁରୁବାର ପାଳିତ ହୁଏ ।
ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ ।